ଅସୁସ୍ଥ କଂଗ୍ରେସକୁ କ’ଣ ସଂଜୀବନୀ ଦେଇପାରିବେ ରବି ରାୟ?

Spread the love

ଅରବିନ୍ଦ ଦାସ

ରାଉରକେଲା ଜିଲ୍ଲା କଂଗ୍ରେସର ସ୍ୱାସ୍ଥ୍ୟବସ୍ଥା ଏବେ ଭଲ ନାହିଁ I ନିର୍ବାଚନ ଆଉ ମାତ୍ର ଦିନ କେଇଟା ରହିଲା I ତେଣୁ ନୂଆକରି ଜିଲ୍ଲା କମିଟି ଦାୟିତ୍ୱ ନେଇଥିବା (ଅବଶ୍ୟ ପୂର୍ବରୁ ଥରେ ଦାୟିତ୍ୱରେ ଥାଇ କଂଗ୍ରେସର ସ୍ଥିତିରେ ସେମିତି କିଛି ପରିବର୍ତନ ଆଣିପାରିନଥିଲେ) ରବି ରାୟ କ’ଣ ସଂଜୀବନୀ ଦେଇ ଦଳକୁ ବିଜେପି ଓ ବିଜେଡ଼ି ସହିତ ନିର୍ବାଚନରେ ମୁକାବିଲା କରିବା ସ୍ଥିତିକୁ ଆଣିପାରିବେ ? କାରଣ ଦଳର ସର୍ବଭାରତୀୟ ନେତା ରାହୁଲ ଗାନ୍ଧୀ ଗତ ୭ ତାରିଖରେ ରାଉରକେଲାରେ ଭାରତ ଯୋଡ଼ ନ୍ୟାୟ ଯାତ୍ରା କରିଥିଲେ ଯାହାକି ସମ୍ପୂର୍ଣ ବିଫଳ ହୋଇଥିଲା କହିଲେ ଚଳେ I ଏହା ପରେ ପରେ ଗତ ୧୧ ତାରିଖ ଦିନ ହଠାତ ରଶ୍ମି ପାଢ଼ୀଙ୍କୁ ରାଉରକେଲା ସାଙ୍ଗଠନିକ ଜିଲ୍ଲା କମିଟି ପଦରୁ ହଟାଇ ଶ୍ରୀ ରାୟଂକୁ ଦାୟିତ୍ୱ ଦେଇଛି ରାଜ୍ୟ କମିଟି I 

ପ୍ରକାଶଯୋଗ୍ୟଯେ ୨୦୨୨ ମସିହା ମାର୍ଚ୍ଚ ମାସରେ ଜର୍ଜ ତିର୍କି ଜିଲ୍ଲା ସଭାପତି ପଦ ଛାଡିଲାପରେ ଓ ଶରତ ପଟ୍ଟନାୟକ ସେହିବର୍ଷ ମଇ ମାସରେ ପିସିସି ସଭାପତି ହେଲାପରେ ଆଜିପର୍ଯ୍ୟନ୍ତ ରାଉରକେଲା ଜିଲ୍ଲା କମିଟିର ସ୍ଥାୟୀ ସଭାପତି ନିଯୁକ୍ତି କରିପାରୁନାହାନ୍ତି I ବେଶ କିଛିଦିନ ଜିଲ୍ଲା ସଭାପତି ପଦ ଖାଲିପଡିବା ପରେ ଦେବବ୍ରତ ବିହାରୀଙ୍କୁ କାମତୁଲା ସଭାପତି ଦାୟିତ୍ୱ ଦିଆଗଲା, ସେ ଛାଡିଲା ପରେ ଗତ ନଭେମ୍ବର ମାସରେ ରଶ୍ମି ପାଢ଼ୀଙ୍କୁ ଦାୟିତ୍ୱ ଦିଆଗଲା ଓ ଏବେ ତାଙ୍କୁ ହଟାଯାଇ ଶ୍ରୀ ରାୟଂକୁ କରାଯାଇଛି I ଶ୍ରୀ ରାୟ ମଧ୍ୟ ପୂର୍ବରୁ ୨୦୧୮ ମସିହାରେ ଜିଲ୍ଲା ସଭାପତି ଥିଲେ ଏବଂ ତାଙ୍କ ନେତୃତ୍ୱରେ ୨୦୧୯ ମସିହାରେ ଦଳ ରାଉରକେଲା ଓ ରଘୁନାଥପାଲ୍ଲୀ ବିଧାନସଭା ନିର୍ବାଚନ ଲଧିଥିଆ ଓ କିଭଳି ଶୋଚନୀୟ ପରାଜୟର ସମୁଖୀନ ହୋଇଥିଲା ତାହା ସମସ୍ତଙ୍କୁ ଜଣା I ଏବେ ପୁଣି ନିର୍ଵାଚନ ଆଉ ଦିନ କେଇଟା ବାକି ଥିଲାବେଳେ ତାଙ୍କୁ ଦାୟିତ୍ୱ ଦିଆଯାଇଛି, ଯେତେବେଳେ ଉଭୟ ବିଜେଡ଼ି ଓ ବିଜେପି ନିର୍ବାଚନ ପ୍ରସ୍ତୁତିରେ ବହୁ ଆଗକୁ ପଳେଇଲେଣି I ଅନ୍ୟପକ୍ଷରେ ଶ୍ରୀ ରାୟଙ୍କୁ ଦାୟିତ୍ୱ ମିଳିବାର ପରଦିନ ଜିଲ୍ଲା ମହିଳା ସଭାନେତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି I

ରାଜନୀତି ମହଲରେ ଚର୍ଚ୍ଚା ହେଊଛିଯେ ପିସିସି ମୁଖିଆ ପାଖା ପାଖି ୨ ବର୍ଷ ହୋଇଗଲାଣି ସ୍ଥାୟୀ ଜିଲ୍ଲା ସଭାପତି ନିଯୁକ୍ତି ଦେଇପାରୁନଥିବରୁ ଦଳ ଏଠି ମଜବୁତ ହେବା ଯାଗାରେ ଦୁର୍ବଳ ହେଉଛି I ଫଳରେ ଏଠି ଉଭୟ ବିଜେଡ଼ି ଓ ବିଜେପି ବିରୁଦ୍ଧରେ ଅନେକ ପ୍ରସଙ୍ଗ ଅଛି ଯାହାର ଲାଭ କଂଗ୍ରେସ ଉଠାଇ ପାରୁନାହିଁ I ଦେଖାଯାଉ ଆଗକୁ ଶ୍ରୀ ରାୟ କି ସଂଜୀବନୀ ଦେଇ ଦଳକୁ ବଞ୍ଚାଉଛନ୍ତି ଏଠି I  


Spread the love

Leave a Reply

Your email address will not be published. Required fields are marked *