ଅରବିନ୍ଦ ଦାସ
ଯଦିଓ ୧୭ତମ ଲୋକସଭାର ଅବଧି ସାରିବାକୁ ଆଉ କିଛିଦିନ ବାକି ଅଛି କିନ୍ତୁ ଆଉ ଅଧିବଶେନ ବସିବାର ନାହିଁ I କାରଣ କେତେବେଳେବି ୧୮ତମ ଲୋକସଭା ନିର୍ବାଚନ ପାଇଁ ନିର୍ବାଚନ ଆୟୋଗ ଆଚାର ସଂହିତା ଲଗାଇ ପାରନ୍ତି I ୨୦୧୯ ମସିହା ମଇ ମାସରୁ ୧୭ତମ ଲୋକସଭାର ଆରମ୍ଭ ହୋଇଥିବା ଅବଧି ଅନେକ କାରଣରୁ ଘଟଣା ବହୁଳ ହୋଇଥିଲା I
ସବୁଠାରୁ ପ୍ରମୁଖ ଘଟଣା ଥିଲା ଏହି ଲୋକ ସଭାର ପୁରା କାର୍ଯ୍ୟକାଳ ମଧ୍ୟରେ ଉପବାଚସ୍ପତି ଚୟନ ହୋଇନାହାନ୍ତି ଯଦିଓ ସମ୍ବିଧାନର ଧାରା ୯୩ ଅନୁସାରେ ଜଣେ ବାଚସ୍ପତି ଓ ଜଣେ ଉପବାଚସ୍ପତି ନିର୍ବାଚିତ ହେବାର ପ୍ରାବଧାନ ରହିଛି I
ସେହିପରି ୧୭ତମ ଲୋକସଭା ଇତିହାସ ରଚିଲା ସବିଠାରୁ କମ ଦିନ ବୈଠକ ବସିବାରେ . ତଥ୍ୟ ମୁତାବକ ୧୭ତମ ଲୋକସଭା ବର୍ଷକୁ ହାରାହାରି ମାତ୍ର ୫୫ ଦିନ ବୈଠକ ବସିଛି I ଏଠାରେ ସ୍ମରଣ କରାଯାଇ ପାରେଯେ ପ୍ରଥମ ଲୋକସଭାର ବର୍ଷକୁ ହାରାହାରି ୧୩୫ ଦିନ ବୈଠକ ବସିଥିଲା I ସଂସଦର ବୈଠକ ଯେତେ ଅଧିକ ବସିବ ସାଂସଦ ମାନଙ୍କୁ ସେତିକି ଅଧିକ ସୁଯୋଗ ମିଳିବ ନିଜ ଅଂଚଳର ତଥା ରାଜ୍ୟର ଓ ଦେଶର ସମସ୍ୟା ବିଷୟରେ ଆଲୋଚନା କରିବାକୁ I ଏହାଦ୍ୱାରା ସାଧାରଣ ଲୋକଟିର ସମସ୍ୟା ଦୂର କରିବାରେ ସେମାନଙ୍କ ପ୍ରତିନିଧି ଓ ସରକାର ଅଧିକ ଯତ୍ନଶୀଳ ହୋଇପାରିବେ I
୧୭ତମ ଲୋକସଭାରେ ୧୭୯ ଟି ବିଲ୍ ଅନୁମୋଦନ ହୋଇଥିଲା ବେଳେ ସେଥିରେ ପ୍ରମୁଖ ଥିଲା ଜାମୁ କାଶ୍ମୀରରୁ ଧାରା ୩୭୦ ପ୍ରତ୍ୟାହାର ସହିତ ରାଜ୍ୟକୁ ଭାଙ୍ଗି ଦୁଇଟି କେନ୍ଦ୍ର ଶାସିତ ଅଂଚଳ କରିବା, ମହିଳା ସରକ୍ଷେଣ ବିଲ (ଯଦିଓ ଏହା କେବେଠାରୁ ଲାଗୁହେବ ତାହାର କୌଣସି ନିଶ୍ଚିତତା ନାହଁ), ସୁପ୍ରିମ କୋର୍ଟର ନିର୍ଦ୍ଦେଶାବଳୀର ଅନୁରୂପରେ ଯାଇ ମୁଖ୍ୟ ନିର୍ବାଚନ ଆୟୋଗ ନିଯୁକ୍ତି ବିଲ୍, ଡିଜିଟାଲ ଡାଟା ପ୍ରୋଟେକ୍ସନ ବିଲ୍, ୩ ଲେବର କୋଡ଼, ଆଇପିସି, ସିଆରପିସି ଓ ଇଣ୍ଡିଆନ ଏଭିଡିଏନ୍ସ ଆକ୍ଟ ବଦଳରେ ଗୋଟିଏ ଆଇନ ବିଲ୍, ସୁପ୍ରିମ କୋର୍ଟର ନିର୍ଦ୍ଦେଶାବଳୀର ଅନୁରୂପରେ ଯାଇ ଦିଲ୍ଲୀ ପ୍ରଶାସନିକ ଆଇନ ସମେତ ୩ କୃଷି ଆଇନ (ଯାହାକି ପରବର୍ତୀ ସମୟରେ କୃଷକମାନଙ୍କ ଆନ୍ଦୋଳନର ଚାପରେ ସରକାର ପ୍ରତ୍ୟାହାର କଲେ) I ୧୭ ତମ ଲୋକସଭାର ଅବଧି ଭିତରେ ମଣିପୁରରେ ହିଂସାକୁ ନେଇ ଗୃହରେ ପ୍ରଧାନମନ୍ତ୍ରୀଙ୍କୁ ଉତ୍ତର ରଖିବାକୁ ବିରୋଧୀଙ୍କ ଦାବି ସତ୍ୱେ ପ୍ରଧାନମନ୍ତ୍ରୀ କର୍ଣ୍ଣପାତ ନକରି ଗୃହକୁ ନ ଆସିବା ଓ ବାଚସ୍ପତି ମଧ୍ୟ ବିରୋଧୀଙ୍କ ଦାବିକୁ ଗ୍ରହଣ ନ କରିବା ପ୍ରତିବାଦରେ ବିରୋଧୀ କଂଗ୍ରେସ ତରଫରୁ ସରକାରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିବା ଓ ତାହା କାଟ ଖାଇବା ଥିଲା ଅନ୍ୟଏକ ପ୍ରମୁଖ ଘଟଣା I ସବୁଠାରୁ ଗୁରୁତ୍ୱପୂର୍ଣ କଥା ଥିଲା ୨୮ ମଇ, ୨୦୧୩ ରେ ସଂସଦର ନୂଆ ଭବନ ଉଦ୍ଘାଟନ ହେଲା ଏବଂ କୁହାଗଲା ଏହାର ସୁରକ୍ଷା ବ୍ୟବସ୍ଥା ପୁରୁଣା ଭବନଠାରୁ ଅଧିକ ଶକ୍ତିଶାଳୀ I କିନ୍ତୁ ୧୩ ଡିସେମ୍ବର, ୨୦୨୩ ଦିନ ଗୃହ ଚାଲିଥିଲା ବେଳେ ଦୁଇଜଣ ଯୁବକ ଦର୍ଶକ ଗ୍ୟାଲେରୀରୁ ଗୃହମଧ୍ୟକୁ ଡ଼େଇଁକି କିଛି ଗ୍ୟାସ ସ୍ପ୍ରେ କରିଥିଲେ ଯାହାକି ଭବନର ସୁରକ୍ଷାକୁ ନେଇ ସାଧାରଣରେ ପ୍ରଶ୍ନ ଉଠିଥିଲା I କେଉଁ ପରିସ୍ଥିତିରେ ସୁରକ୍ଷାରେ ଏଭଳି ବ୍ୟତିକ୍ରମ ଦେଖାଦେଲା ତାହାର ଜବାବ ଗୃହମନ୍ତ୍ରୀ ଦେବାକୁ ବିରୋଧୀ ଅଡ଼ିବସିବା ସତ୍ତ୍ୱେ ସେମାନଙ୍କ ଦାବୀପ୍ରତି ଉଭୟ ଗୃହମନ୍ତ୍ରୀ ଓ ବାଚସ୍ପତି ଗୁରୁତ୍ୱ ନଦେବାରୁ ଗୃହରେ ବିରୋଧୀ ହୋ ହାଲ୍ଲା କରିବା ଓ ପରିଣାମ ସ୍ୱରୂପ ଶୀତକାଳୀନ ଅଧିବେଶନରେ ରେକର୍ଡ ସଂଖ୍ୟକ ୧୪୬ ଜଣ ବିରୋଧୀ ସାଂସଦଙ୍କୁ ଗୃହରୁ ନିଲମ୍ବନ କରାଯିବା ଓ ବିରୋଧୀ ସାଂସଦଙ୍କ ଅନୁପସ୍ଥିତିରେ ଅନେକ ବିଲ୍ ସରକାରଙ୍କ ତରଫରୁ ପାରିତ କରାଇନେବା ଗଣତନ୍ତ୍ର ପ୍ରତି ଥିଲା ଅନ୍ୟଏକ ଉପହାସ I ସେହିପରି ଅର୍ଥ ବିଲ୍ ସମେତ ଅନେକ ଗୁରୁତ୍ୱପୂର୍ଣ ପ୍ରସଙ୍ଗରେ ଆଲୋଚନା ପାଇଁ ଯେତିକି ସମୟ ଦିଆଯିବା କଥା ତାହା ଦିଆନଯିବା ଓ ଶାସକ ଦଳର ଜଣେ ସାଂସଦ ବିରୋଧିଦଳର ଜଣେ ସାଂସଦଂକୁ ତାଙ୍କର ଧର୍ମକୁ ନେଇ ଆଖ୍ୟପ କରିବା ଥିଲା ୧୭ତମ ଲୋକସଭାର ଅନ୍ୟତମ ଦୁର୍ଭାଗ୍ୟ ଘଟଣା I