ରାଜ୍ୟ ରେ ଡାକ୍ତର ଙ୍କ ଅଭାବ ସତ୍ତ୍ୱେ ନୂଆଁ ନିଯୁକ୍ତି ଓ ସ୍ଥାୟୀ ପଦ ପୂରଣ ରେ ସରକାର ବିଫଳ ହୋଇଛନ୍ତି। ଏଥିସହ କାର୍ଯ୍ୟସ୍ଥଳ ରେ ସୁରକ୍ଷା ଅଭାବ, ବାରମ୍ବାର ହେଉଥିବା ହିଂସା, ଅତିରିକ୍ତ କାର୍ଯ୍ୟ ଚାପ ଓ ଯଥୋଚିତ ଭତ୍ତା ନ ମିଳିବା ଆଦି ଅଭିଯୋଗ ଉଠାଇ ଓଡ଼ିଶା ମେଡିକାଲ ସେବା ସଂଘ ର ଡାକରା ରେ ଗତମାସ ୨୬ ତାରିଖ ରୁ ଡାକ୍ତର ମାନେ ଆନ୍ଦୋଳନ କୁ ଓହ୍ଲାଇଛନ୍ତି। ଆନ୍ଦୋଳନ ରେ ସରକାରୀ ଡାକ୍ତରଖାନା, ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଓ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ର ଡାକ୍ତର ମାନେ ସାମିଲ ହୋଇଛନ୍ତି। ଦୀର୍ଘବର୍ଷ ହେଲା ଡାକ୍ତର ଅଭାବ, ଅସୁରକ୍ଷିତ କାର୍ଯ୍ୟସ୍ଥଳ, ଅତିରିକ୍ତ କାର୍ଯ୍ୟ ଚାପ ଓ ପ୍ରଶାସନିକ ଅବହେଳା ଯୋଗୁଁ ଏଭଳି ପରିସ୍ଥିତି କୁ ଆମନ୍ତ୍ରଣ କରିଛି ବୋଲି ସଂଘ ଅଭିଯୋଗ କରିଛି। ଡାକ୍ତର ଙ୍କୁ କରୋନା ଯୋଦ୍ଧା ସମ୍ମାନ ଦେଇଥିଲାବେଳେ ସେମାନଙ୍କ ସୁରକ୍ଷା ,ସେବା ସର୍ତ୍ତ ଓ ମର୍ଯ୍ୟାଦା ପ୍ରଶ୍ନ ରେ ନୀରବ। ଏହି ଧର୍ମଘଟ ରୋଗୀ ଙ୍କ ବିରୋଧ ରେ ନୁହେଁ ବରଂ ସରକାରୀ ଅବହେଳା ବିରୋଧ ରେ ବୋଲି ସଂଘ କହିଛି। ଗତମାସ ୨୬ ତାରିଖ ରୁ ଆଉଟଡୋର ସେବା ଏକ ଘଣ୍ଟା ବନ୍ଦ ଥିଲା। ସରକାର ସମାଧାନ ଦିଗରେ ଆବଶ୍ୟକ ପଦକ୍ଷେପ ନେଉନଥିବା ଅଭିଯୋଗ କରି ୫ ତାରିଖ ରୁ ଆଉଟଡୋର ସେବା ପୂର୍ବାହ୍ନ ୯ ଟା ରୁ ୧୧ ଟା ପର୍ଯ୍ୟନ୍ତ ବନ୍ଦ କରାଯାଇଛି। ସକାଳ ୮ ଟା ରୁ ୯ ଟା ପର୍ଯ୍ୟନ୍ତ ଆଉଟଡୋର ଖୋଲା ରହିବ, ଜରୁରୀକାଳୀନ ଓ ଆମ୍ବୁଲାନ୍ସ ରେ ଅଣାଯାଉଥିବା ରୋଗୀ ଙ୍କୁ ଚିକିତ୍ସା କରାଯିବ ବୋଲି ସୁନ୍ଦରଗଡ଼ ଜିଲ୍ଲା ବଡ଼ଗାଁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡାକ୍ତର ସାରଦା ପ୍ରସନ୍ନ ଜେନା ସୂଚନା ଦେଇଛନ୍ତି। ସେ କହିଛନ୍ତି ଆସନ୍ତା ୧୪ ତାରିଖ ମଧ୍ୟରେ ସରକାର ସମାଧାନ ନ କଲେ ୧୫ ତାରିଖ ପୂର୍ବାହ୍ନ ୯ ଟା ରୁ ୧୧ ଟା ଓ ଅପରାହ୍ନ ୩ ଟା ରୁ ୫ ଟା ପର୍ଯ୍ୟନ୍ତ ଆଉଟଡୋର ସେବା ବନ୍ଦ ରହିବ। ତେବେ ଏହାକୁ ନେଇ ସଂଘ ପକ୍ଷରୁ ଜିଲ୍ଲା ସଭାପତି ଡାକ୍ତର ବିନୋଦ ବିହାରୀ ଦାସ ଓ କୋଷାଧ୍ୟକ୍ଷ ଡାକ୍ତର ଦେବବ୍ରତ ନାୟକ ସୋମବାର ଜିଲ୍ଲାପାଳ ଏବଂ ଏସପି ଙ୍କୁ ସାକ୍ଷାତ କରି ଦାବିପତ୍ର ଦେଇଛନ୍ତି।
