“ତୁମେ ହସିଲେ ଦୁନିଆ ହସେ” ଏହି ସୁନ୍ଦର ଭାବନାକୁ ସାକାର କରି ନିସ୍ୱାର୍ଥ ମାନବ ସେବାରେ ନିଜକୁ ସମର୍ପଣ କରିଥିବା ସମାଜ ସେବିକା କୁମାରୀ ହେମନ୍ତା ତାଣ୍ଡିଙ୍କୁ ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ବିଶେଷ ସମ୍ବର୍ଦ୍ଧନା ଜଣାଯାଇଛି।
ରାଉରକେଲାର ଜଗଦା ସ୍ଥିତ “ମାନବ ସେବା ହିଁ ସର୍ବୋଚ୍ଚ ଧର୍ମ” ଆଶ୍ରମର ପରିଚାଳନା ଦାୟିତ୍ୱ ନିର୍ବାହ କରୁଥିବା ଶ୍ରୀମତୀ ତାଣ୍ଡି ନିଜର ନିଃସ୍ୱାର୍ଥ ସେବା ଓ ମନୋଭାବ ଦ୍ୱାରା ଅନାଥ ଓ ଅନଗ୍ରସର ପିଲାମାନଙ୍କୁ ନୂଆ ଜୀବନ ଦେଇଆସୁଛନ୍ତି। ତାଙ୍କର ଏହି ଅବଦାନକୁ ସ୍ୱୀକୃତି ଦେବା ପାଇଁ ସୁଶୀଳାବତୀ ସରକାରୀ ମହିଳା ମହାବିଦ୍ୟାଳୟର ଗଣିତ ବିଭାଗର ଅଧ୍ୟାପିକା ଶ୍ରୀମତୀ ଶ୍ରଦ୍ଧାଞ୍ଜଳି ମିଶ୍ର ଏବଂ ପଞ୍ଚତତ୍ତ୍ୱ ନାଟକ ଅନୁଷ୍ଠାନର ସାଧାରଣ ସଚିବ ଇଞ୍ଜିନିୟର ଜନ୍ମେଜୟ ମହାନ୍ତି ଏକ ପ୍ରଶଂସନୀୟ ପଦକ୍ଷେପ ଗ୍ରହଣ କରିଥିଲେ।
ଅନୁଷ୍ଠାନରେ ଉପସ୍ଥିତ ଯୁବ ପିଢ଼ିର ପ୍ରତିନିଧି ସ୍ମାରକ ଅନୁରାଗ, ଶୁଭମ ସାମନ୍ତରାୟ, ଗରିମା ବିଭାବରୀ ନାୟକ, ଐଶ୍ୱର୍ଯ୍ୟା ମହାନ୍ତି ଏବଂ ଅମନ ପ୍ରୀତ ଦାଶ ପୁଷ୍ପଗୁଚ୍ଛ ଓ ଉପହାର ଦେଇ ଶ୍ରୀମତୀ ତାଣ୍ଡିଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଜଣାଇଥିଲେ। ଏହି କାର୍ଯ୍ୟକ୍ରମ ମହିଳାମାନଙ୍କର ସମାଜ ସେବା ଓ ନେତୃତ୍ୱକୁ ଉତ୍ସାହିତ କରିବାରେ ଏକ ଉଦାହରଣ ସ୍ୱରୂପ ହୋଇଛି।
ଏହି ଅବସରରେ ସମସ୍ତେ ମହିଳାମାନଙ୍କର ସଶକ୍ତିକରଣ ଓ ସମାନତା ପାଇଁ ପ୍ରତିବଦ୍ଧତା ପ୍ରକାଶ କରିଥିଲେ। ଶ୍ରୀମତୀ ତାଣ୍ଡିଙ୍କ ପରି ମହିଳାମାନଙ୍କର ନିଷ୍ଠାପୂର୍ଣ୍ଣ ସେବା ସମାଜରେ ନୂଆ ଆଶାର କିରଣ ପ୍ରଜ୍ୱଳିତ କରୁଛି।
