ଅରବିନ୍ଦ ଦାସ
ଗତ ୧୯ ତାରିଖ ଦିନ ସୁପ୍ରିମକୋର୍ଟ ଚଣ୍ଡିଗଡ଼ ମେୟର ନିର୍ବାଚନକୁ ନେଇ ଦେଇଥିବା ରାୟ ସମଗ୍ର ଦେଶରେ ଚର୍ଚ୍ଚାର ପ୍ରସଙ୍ଗ ହୋଇଥିଲା ବେଳେ ଏହା ଗଣତନ୍ତ୍ରର ହତ୍ୟାକରିଙ୍କ ଗାଲରେ ଶକ୍ତ ଚାପୁଡ଼ା ବୋଲି କୁହାଯାଉଛି I
ପ୍ରକାଶ ଯୋଗ୍ୟ ଯେ ଚଣ୍ଡିଗଡ଼ ନଗର ନିଗମ ମେୟର ନିର୍ଵାଚନ (କେନ୍ଦ୍ରଶାସିତ ଅଂଚଳ ହୋଇଥିବାରୁ ନିର୍ବାଚିତ କାଉନ୍ସିଲର ମାନଙ୍କ ମଧ୍ୟରୁ ପ୍ରତିବର୍ଷ ମେୟର ନିର୍ବାଚିତ ହେବେ) ୧୮ ଜାନୁଆରୀରେ ହେବାର ଥିଲା ଯେଉଁଥିରେ ଆପ ଓ କଂଗ୍ରେସ ମିଳିତ ପ୍ରାର୍ଥୀ ନିଶ୍ଚିତ ଜିତିବାର ଥିଲା I କାରଣ ୩୫ ଜଣ ନିର୍ବାଚିତ କାଉନ୍ସିଲର ଓ ଜଣେ ସଂସାଦକୁ ମିଶେଇ ମୋଟ ୩୬ ମଧ୍ୟରୁ ଗଠବନ୍ଧନର ୨୦ ଜଣ (ଆପ-୧୩, କଂଗ୍ରେସ-୭) ଏବଂ ବିଜେପି-୧୪ + ଅକାଳିଦଳ-୧ + ୧ ସାଂସଦକୁ ମିଶାଇ ମୋଟ ୧୬ ଟି ଭୋଟ ଥିଲା I କିନ୍ତୁ ନିର୍ବାଚନ ସ୍ଥଗିତ ରଖାଗଲା କାରଣ ନିର୍ବାଚନ ଅଧିକାରୀ ଅନିଲ ମସିହ (ଯିଏକି ବିଜେପିର ପୁରୁଣା ପଦାଧିକାରୀ ଓ ମନୋନୀତ କାଉନ୍ସିଲର ଏବଂ ଜଣ ଦଳୀୟ ବ୍ୟକ୍ତିଙ୍କୁ ଏଭଳି ଦାୟିତ୍ୱ ଦେବାକୁ ନେଇ ପ୍ରଥମରୁ ବିବାଦ ଥିଲା) ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ଅନୁପସ୍ଥିତ ରହିଲେ ଏବଂ ଏହି ନିର୍ବାଚନକୁ ଚଣ୍ଡୀଗଡ଼ କେନ୍ଦ୍ରଶାସିତ ଅଂଚଳର ପ୍ରଶାସନ (ପ୍ରକାଶ ଥାଉକି ଚଂଡିଗଡ଼ର ମୁଖ୍ୟ ପ୍ରଶାସନିକ ଅଧିକାରୀ ହେଉଛନ୍ତି ପଞ୍ଜାବ ରାଜ୍ୟପାଳ ବନୱାରୀଲାଲ ପୁରୋହିତ ଯିଏକି ପଞ୍ଜାବ ବିଧାନସଭାର ବୈଠକ ଡାକିବାକୁ ନେଇ କୋର୍ଟର ଛାଟ ଖାଇସାରିଛନ୍ତି) ନିର୍ବାଚନକୁ ୬ ଫେବୃଆରୀରେ କରିବାକୁ ଚାଁହୁଥିଲେ କିନ୍ତୁ ଆପ କୋର୍ଟର ଦ୍ୱାରସ୍ଥ ହେଲାପରେ ୩୦ ଜାନୁଆରୀରେ ନିର୍ବାଚନ ହେବ ବୋଲି ସ୍ଥିର ହେଲା I ସେଦିନ ମଧ୍ୟ ନିର୍ଧାରିତ ସମୟରୁ ବିଳମ୍ବରେ ଆସିଲେ ନିର୍ବାଚନ ଅଧିକାରୀ I
ସବୁଠାରୁ ଆଶ୍ଚର୍ଯ୍ୟ ଜନକ କଥା ହେଲା ଭୋଟ ଗଣତି ସମୟରେ ଆପ ପ୍ରାର୍ଥୀଙ୍କ ପ୍ରତିନିଧିଙ୍କୁ ଗଣତି ଟେବୁଲରେ ରହିବାକୁ ଦିଆଗଲାନାହିଁ ଓ ୮ଟି ଭୋଟ ନାକଚ ହେବାପରେ ବିଜେପି ପ୍ରାର୍ଥୀ ମନୋଜ ଶଙ୍କର ୧୬-୧୨ ଭୋଟ ବ୍ୟବଧାନରେ ଜିତିଲେ ବୋଲି ନିର୍ବାଚନ ଅଧିକାରୀ ଘୋଷଣାକଲେ ଓ ସଂଗେ ସଂଗେ ମନୋଜ ଶଙ୍କର ଦାୟିତ୍ୱ ନେଲେ I ଏପରିକି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କ ସମେତ ଦଳର ବହୁ ବରିଷ୍ଠ ନେତା ଏହାକୁ ସ୍ୱାଗତ କଲେ I ଅନ୍ୟପକ୍ଷରେ ବାଲଟ ପେପର ସହିତ ନିର୍ବାଚନ ଅଧିକାରୀ ଛେଡ଼-ଛାଡ଼ କରିଥିବାର ଦୃଶ୍ୟ ସ୍ପଷ୍ଟ ଭାବରେ କ୍ୟାମେରାରେ ରେକର୍ଡିଙ୍ଗ ହୋଇଥିବାର ଦେଖାଯାଉଥିବାରୁ ଆପ ପ୍ରାର୍ଥୀ ଅଭିଯୋଗ ଉଠାଇଲେ କିନ୍ତୁ ଚଣ୍ଡୀଗଡ଼ ପ୍ରଶାସନ ଶୁଣିଲେ ନାହିଁ ବରଂ ନୂଆ ମେୟରଙ୍କୁ ବଜେଟ ସେସନ ଡାକିବାକୁ ଅନୁମତି ଦିଆଗଲା ଓ ତାରିଖ ମଧ୍ୟ ନିର୍ଧାରଣ ହୋଇଗଲା I
ଚଣ୍ଡୀଗଡ଼ ପ୍ରଶାସନ ପାଖରୁ କୌଣସି ନ୍ୟାୟ ନ ମିଳିବାରୁ ଆପ ପ୍ରାର୍ଥୀ କୁଲଦୀପ କୁମାର ପ୍ରଥମେ ଉଚ୍ଚନ୍ୟାୟାଳୟର ଦ୍ୱାରସ୍ଥ ହେଲେ କିନ୍ତୁ ସେଠାରୁ ଠିକ ସମୟରେ ନ୍ୟାୟ ମିଳିବାର କୌଣସି ସମ୍ଭାବନା ନ ଥିବାର ଦେଖି ତୁରନ୍ତ ସୁପ୍ରିମକୋର୍ଟର ଦ୍ୱାରସ୍ଥ ହେଲେ ଓ କୋର୍ଟ କେଶକୁ ବିଚାର ପାଇଁ ଗ୍ରହଣ କରିବା ସହିତ ୫ ଫେବୃଆରୀରେ ମତ ଦେଲେଯେ ବାଲଟ ପେପରରେ ଛେଡ଼-ଛାଡ଼ ହୋଇଛି ସେଥିପାଇଁ ସମସ୍ତ ଦସ୍ତାବିଜ ସହିତ ୧୯ ତାରିଖ ଦିନ କୋର୍ଟରେ ବ୍ୟକ୍ତିଗତ ଭାବେ ଅନିଲ ମସିହଙ୍କୁ ଉପସ୍ଥିତ ରହିବାକୁ ନିର୍ଦେଶ ଦେଲେ ଓ ନଗର ନିଗମର ବଜେଟ ବୈଠକକୁ ସ୍ଥଗିତ ରଖିବାକୁ ମଧ୍ୟ ନିର୍ଦେଶ ଦେଲେ I କୋର୍ଟଙ୍କ ଆଭିମୁଖ୍ୟ ସ୍ପଷ୍ଟ ହେଲାପରେ ଏବଂ ୧୯ ତାରିଖ ପରବର୍ତୀ ଶୁଣାଣି ଅଛି ଜାଣିବା ପରେ ୩ ଜଣ ଆପ କାଉନ୍ସିଲର ବିଜେପିରେ (ଯାହା ଅନୁମାନ କରାଯାଉଛି ନିର୍ବାଚନକୁ କୋର୍ଟ ଅସିଦ୍ଧ ଘୋଷଣା କରିବା ଏକପ୍ରକାର ସ୍ପଷ୍ଟ ହେଲାପରେ ପୁଣି ନିର୍ବାଚନ ହେଲେ ଯେନତେନ ପ୍ରକାର ଜିତିବାପାଇଁ ବିଜେପି ପକ୍ଷରୁ ଏଭଳି କରାଯାଇଥିଲା) ଯୋଗଦେଲେ ଓ ୩୦ ଜାନୁଆରୀରେ ନିର୍ବାଚିତ ଘୋଷିତ ହୋଇଥିବା ମେୟର ମନୋଜ ଶଙ୍କର ଇସ୍ତଫା ଦେଇଦେଲେ I
୧୯ ତାରିଖ ଶୁଣାଣୀରେ ମୁଖ୍ୟ ବିଚାରପତି ଓ ଅନ୍ୟ ଦୁଇ ବିଚାରପତିଙ୍କ ସମୁଖରେ ପ୍ରଥମେ ଅନିଲ ମସିହ ମିଛ କହି ଖସିଯିବାକୁ ଚେଷ୍ଟା କରିଥିଲେ କିନ୍ତୁ ବିଚାରପତିମାନଙ୍କ କଡା ଆଭିମୁଖ୍ୟ (ଯେହେତୁ କ୍ୟାମେରାରେ ସବୁଜିନିଷ ସ୍ପଷ୍ଟ ରେକର୍ଡିଙ୍ଗ ହୋଇଥିଲା) ଦେଖି ସେ ମାନିଗଲେ ଯେ ଜାଣିଶୁଣି ଆପ ପ୍ରାର୍ଥୀଙ୍କ ସପକ୍ଷରେ ଯାଇଥିବା ୮ଟି ଭୋଟ କୁ ସେ ନାକଚ କରିଦେଇଥିଲେ I
ଶେଷରେ ଅଦାଲତ ତାଙ୍କ ରାୟରେ ଏହାକୁ କଡା ନିନ୍ଦା କରିବା ସହିତ ଗଣତନ୍ତ୍ର ସହିତ ଏହା ଏକ ଖେଳ ବୋଲି କହିଲେ କୌଣସି ପରିସ୍ଥିତିରେ ଏଭଳି କରିବାକୁ ଦିଆଯିବନାହିଁ ବୋଲି କହି ଅନିଲ ମସିହ ବିରୋଧରେ ଫୌଜଦାରୀ ମାମଲା ୠଜୁକରିବାକୁ ନିର୍ଦେଶ ଦେଲେ ଓ ମନୋଜ ଶଙ୍କରଙ୍କ ସପକ୍ଷରେ ଦିଆଯାଇଥିବା ଫଳାଫଳକୁ ବାତିଲକରି ଆପ ଓ କଂଗ୍ରେସର ମିଳିତ ପ୍ରାର୍ଥୀ କୁଲଦୀପ କୁମାରଙ୍କୁ ବିଜୟୀ ଘୋଷଣା କଲେ I ସୁପ୍ରିମକୋର୍ଟ ଙ୍କ ଏହି ନିଷ୍ପତି ଗଣତନ୍ତ୍ରର ହତ୍ୟା କରିବାକୁ ଷଡଯନ୍ତ୍ର କରିଥିବା ଦଲାଲ ମାନଙ୍କ ଗାଲରେ ଏକ ଶକ୍ତ ଚାପୁଡା ହୋଇଥିଲା ବେଳେ ସାଧାରଣରେ ଅନେକ ପ୍ରଶ୍ନ ଉଠୁଛି I
କେଉଁ ପରିସ୍ଥିତିରେ ଅନିଲ ମସିହଙ୍କ ଭଳି ଜଣେ ଦଳୀୟ ନେତାଙ୍କୁ ନିର୍ବାଚନ ଅଧିକାରୀ ନିଯୁକ୍ତ କରାଗଲା ? ପ୍ରକୃତରେ ସିଏ ନିଜ ଇଚ୍ଛାରେ ଏଭଳି ଅଗଣତାନ୍ତ୍ରିକ କାମ କରିଥିଲେ ନାଁ ତାଙ୍କର କେହି ଗଡ଼-ଫାଦର ଅଛନ୍ତି ? କ୍ୟାମେରାରେ ରେକର୍ଡିଙ୍ଗ ହୋଇଥିବା ସମସ୍ତ ଦୃଶ୍ୟ ସ୍ପଷ୍ଟ ହୋଇଥିଲା ବେଳେ ଚଣ୍ଡିଗଡ ମୁଖ୍ୟପ୍ରଶାସକ ଏଥିରେ ତୁରନ୍ତ ହସ୍ତକ୍ଷେପ କଲେନାହିଁ କାହିଁକି ନାଁ ସେ ମଧ୍ୟ ଚାପରେ ଅଛନ୍ତି ନାଁ ଏଭଳି କରିବାରେ ତାଙ୍କର ସ୍ୱୀକୃତି ରହିଛି ? ଚଣ୍ଡିଗଡ଼ ନଗର ନିଗମ ଭଳି ଏକ ଛୋଟ ସଂସ୍ଥାର ମାତ୍ର ବର୍ଷକ ପାଇଁ ହେଉଥିବା ମେୟର ନିର୍ବାଚନ ଘଟଣା ଯାଇ ସୁପ୍ରିମକୋର୍ଟରେ ବିଚାର ହେବା ପରିବର୍ତେ କାହିଁକି ହାଇକୋର୍ଟ ତୁରନ୍ତ ଏଥିରେ ହସ୍ତକ୍ଷେପ କଲେନାହିଁ ? ଏହାଦ୍ୱାରା ସୁପ୍ରିମକୋର୍ଟର ବହୁମୂଲ୍ୟାବାନ ସମୟ ବଂଚିବା ସହିତ ସେହି ସମୟରେ ଆହୁରି ଗୁରୁତ୍ୱପୁର୍ଣ ମାମଲାର ଶୁଣାଣି ହୋଇପାରିଥାନ୍ତା I