ମାଳମାଳ ସରକାରୀ ଯୋଜନା ମାଧ୍ୟମରେ ଖର୍ଚ ହେଉଛି କୋଟି କୋଟି ଟଙ୍କା । କିନ୍ତୁ ସରକାରୀ ଅଧିକାରୀଙ୍କ ଅପାରଗତା ଯୋଗୁ ଏବେମଧ୍ୟ ଅନେକ ଗାଁକୁ ପହଞ୍ଚି ପାରୁନି ସରକାରୀ ଯୋଜନା। ସେମାନେ ଅନେକ ସମୟରେ ସ୍ଥାନୀୟ ପ୍ରଶାସନ ଠାରୁ ଆରମ୍ଭ କରି ଜିଲ୍ଲା ପ୍ରଶାସନ ପର୍ଯ୍ୟନ୍ତ ଦାବି ଜଣାଇଥିଲେ ମଧ୍ୟ ସୁଫଳ ମିଳିପାରୁନାହିଁ । ସେଥିପାଇଁ ବାଧ୍ୟ ହୋଇ ଏକାଧିକ ଗ୍ରାମବାସୀ ଏକତ୍ରିତ ହୋଇ ବ୍ଲକ୍ ଘେରାଉ କରି ଦାବି ଉପସ୍ଥାପନ କରିଛନ୍ତି। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଗଜପତି ଜିଲ୍ଲା ମୋହନା ବ୍ଲକ୍ ରେ । ମୋହନା ବ୍ଲକ୍ ର ବାଡେଗୁଡା ପଞ୍ଚାୟତର ବୁଡାକୁଆ, ଅଡ଼ବା ପଞ୍ଚାୟତର ଆଦର୍ଶ ସାହି ଏବଂ ଡମ୍ବଗୁଡା ପଞ୍ଚାୟତ ନିଲ୍ଡିକିଆ ଗ୍ରାମକୁ ରାସ୍ତା ଏବଂ ବିଦ୍ୟୂତ୍ ସଂଯୋଗ କରିବା ଦାବି କରି ଏହି ତିନି ଖଣ୍ଡ ଗ୍ରାମବାସୀ ଏକତ୍ରିତ ହୋଇ ମୋହନା ହାଇସ୍କୁଲ ପଡିଆ ଠାରୁ ବାହାରି ବଜାର ଦେଇ ମୋହନା ବ୍ଲକ୍ ରେ ପହଞ୍ଚି ବିଡିଓ ହଳଧର ଶବରଙ୍କୁ ପୁଣି ଥରେ ଦାବି ପତ୍ର ପ୍ରଦାନ କରିଛନ୍ତି । ନିର୍ବାଚନ ପୂର୍ବରୁ ଯଦି ସରକାର ସେମାନଙ୍କ ଦାବି ପୁରଣ ନକରନ୍ତି ତାହେଲେ ଆଗାମୀ ନିର୍ବାଚନରେ ଭୋଟ ବର୍ଜନ କରିବାକୁ ଚେତାବନୀ ଦେଇଛନ୍ତି।
ତେବେ ଏନେଇ ବିଡିଓ ହଳଧର ଶବର ସମିତି ବୈଠକରେ ଆଲୋଚନା କରି ପଦକ୍ଷେପ ଗ୍ରହଣ କରିବେ ବୋଲି ପ୍ରତିକ୍ରିୟା ଦେଇଛନ୍ତି।