ବଡ଼ବିଲ ଅଞ୍ଚଳର ଏହି ଦମ୍ପତି ଙ୍କ ହାଇଟେକ୍ କାରନାମା ଏବେ ଚର୍ଚା ର ବିଷୟ ପାଲଟିଛି । ମହିଳା ଙ୍କ ମୋବାଇଲ ରେ ତାଙ୍କ ଅଜାଣତରେ ବିଭିନ୍ନ ୟୁପିଆଇ ଆପ ଡାଉନଲୋଡ଼ କରୁଥିଲେ। ଆଉ ସେହି ୟୁପିଆଇ ଆପ ଜରିଆରେ ରାଜସ୍ଥାନ, ଆସାମ ରେ ଥିବା ନିଜ ବନ୍ଧୁ ଙ୍କ ଆକାଉଣ୍ଟ କୁ ପଠେଇ ଚାଲିଥିଲେ ଲକ୍ଷ ଲକ୍ଷ ଟଙ୍କା । ମହିଳା ଜଣଙ୍କ ତାଙ୍କ ଆକାଉଣ୍ଟ ରୁ ଟଙ୍କା ଚୋରି ହେଉଥିବା ସନ୍ଦେହ କରି ବଡ଼ବିଲ ପୋଲିସ ର ଦ୍ୱାରସ୍ଥ ହୋଇଥିଲେ । ଶେଷରେ ଉଭୟ ସ୍ୱାମୀ ସ୍ତ୍ରୀ କୁ ବାନ୍ଧିଛି ବଡ଼ବିଲ ପୋଲିସ। ମହିଳାଙ୍କ ବ୍ୟାଙ୍କ ଆକାଉଣ୍ଟରୁ ଚୋରି ହେଇଥିବା ୪ ଲକ୍ଷ୍ ଟଙ୍କା ଉଦ୍ଧାର କରିଛି ପୋଲିସ।
ବଡବିଲ ପୋଲିସକୁ ଧନ୍ୟବାଦ୍ ଦେଉଥିବା ଏହି ମହିଳା ଜଣକ ହେଉଛନ୍ତି ବଡବିଲ କଳିଙ୍ଗନଗର ସ୍ଥିତ ଇଏସ୍ଆଇ ମେଡିକାଲରେ ଷ୍ଟାଫ୍ ନର୍ସ ଭାବେ କାର୍ଯ୍ୟରତ ଶ୍ରୀମତୀ ପୂର୍ଣ୍ଣମାସି ଦଳେଇ। ପୀଡିତ ମହିଳା ପୂର୍ଣ୍ଣମାସି କିଛି ମାସରୁ କଳିଙ୍ଗ ନଗରରେ ନିଜ ଜଣେ ସମ୍ପର୍କୀୟଙ୍କ ଘରେ ଭଡାରେ ରହୁଥିଲେ। ସୂଚନାନୁସାରେ ତାଙ୍କ ସମ୍ପର୍କୀୟଙ୍କ ଝିଅ ଓ ଜ୍ବାଇଁ ମହିଳାଙ୍କ ଅଜାଣତରେ ତାଙ୍କ ମୋବାଇଲ ବ୍ୟବହାର କରି ୟୁପିଆଇ ମାଧ୍ୟମରେ ପାଳି ପାଳି କରି ଆସାମ ଓ ରାଜସ୍ଥାନରେ ଥିବା ସାଙ୍ଗଙ୍କୁ ଟ୍ରାନ୍ସଫର୍ କରୁଥିଲେ ଏବଂ ସେହି ୟୂପିଆଇ ଆପକୁ ଡିଲିଟ କରି ଦେଉଥିଲେ। ପରେ ସେହି ଚୋରି ଟଙ୍କାକୁ ଅଭିଯୁକ୍ତ ସ୍ବାମୀ ନିଜ ଆକାଉଣ୍ଟରେ ମଗାଉ ଥିଲେ। ତାଙ୍କ ଆକାଉଣ୍ଟରୁ ଟଙ୍କା ଉଠାଣ ହେଉଥିବା ସନ୍ଦେହ ହେବାରୁ ପୀଡିତ ପୂର୍ଣ୍ଣମାସି ଦଳେଇ ବଡବିଲ ଥାନାର ଦ୍ବାରସ୍ଥ ହୋଇଥିଲେ। ପୋଲିସ ତାଙ୍କ ଅଭିଯୋଗକୁ ଗ୍ରହଣ କରି ଏହି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ପୋଲିସ ସମ୍ପର୍କୀୟଙ୍କ ଝିଅ ଭାଗ୍ୟଲକ୍ଷ୍ମୀ ଜେନା ଓ ଜ୍ବାଇଁ ଅବିନାଶ କର୍ମକାରଙ୍କୁ ଟଙ୍କା ଚୋରି କରିଥିବାର ସୁରାକ ପାଇଲା ପରେ ସେମାନଙ୍କୁ ଜେରା କରିବାରୁ ସେମାନେ ନିଜ ଦୋଷ ସ୍ଵୀକାର କରିଥିଲେ। ପୋଲିସ ତାଙ୍କ ପାଖରୁ ନଗଦ ସାଢେ ୪ ଲକ୍ଷ ଟଙ୍କା ଉଦ୍ଧାର ସହ ୨ଟି ମୋବାଇଲ ମଧ୍ୟ ଜବତ୍ କରିଛି।