ଅଦିନିଆ ବର୍ଷା ପଛର କାହାଣୀ କ’ଣ ?

Spread the love

ଅରବିନ୍ଦ ଦାସ

ବିଦ୍ରୋହିମାନଙ୍କ ପାଟି ବନ୍ଦ ରଖିବାକୁ ଇଡ଼ି ଚଢ଼ାଉ ରଚାଗଲା !

ଏବେ କେବଳ ନମୁନା ଦେଖାଗଲା ଆଗକୁ ପୁରା ସିନେମା ଦେଖେଇଦିଆଯିବ !

ସଂଖ୍ୟା ଦୃଷ୍ଟିରୁ ବିଜେଡି ୩ଟି ଯାକ ରାଜ୍ୟସଭା ଆସନ ଦଖଲ କରିବାର ସମ୍ଭାବନା ଥିଲାବେଳେ ଦଳ ୨ଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିବା ଓ ସଂଖ୍ୟା ନଥାଇ ବିଜେପି ଗୋଟିଏ ଆସନ ପାଇଁ ପ୍ରାର୍ଥୀ ଦେବା ଓ ବିଜେପି ପ୍ରାର୍ଥୀ ଘୋଷଣା କରିବାର କଛି ସମୟ ମଧ୍ୟରେ ନବୀନ ପଟ୍ଟନାୟକ ବିଜେପି ପ୍ରାର୍ଥୀଙ୍କୁ ସମର୍ଥନ ଘୋଷଣା କରିବା କିଛି ନୂଆ କିମ୍ବା ଆଶ୍ଚର୍ଯ୍ୟ ହେବାଭଳି ନଥିଲା ବରଂ ଦୁଇ ଦଳର ପ୍ରେମ କାହାଣୀ ଆଉଟିକେ ଆଗକୁ ବଢ଼ିଲା ବୋଲି ଅନେକ କହିଲେ I କିନ୍ତୁ ଆଶ୍ଚର୍ଯ୍ୟର କଥା ଥିଲା ଯେଉଁଦନ ବିଜେପି ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିବେ ସେହିଦିନ ସକାଳୁ ସକାଳୁ (୧୫ ଫେବୃଆରୀ) ଓଡ଼ିଶାର ପୂର୍ବତନ ମନ୍ତ୍ରୀ ତଥା ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀର ବିଜେଡି ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ବାସଗୃହ ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ଇଡ଼ି ପକ୍ଷରୁ ଚଢ଼ାଉ କରାଗଲା I ଇଡ଼ିର ଏଭଳି ଚଢ଼ାଉ ପଛରେ କଣ କାରଣ ଥାଇପାରେ ତାକୁ ନେଇ ବିଭିନ୍ନ ମହଲରେ ଭିନ୍ନ ଭିନ୍ନ ଚର୍ଚ୍ଚା ଏବେବି ଚାଲିଛି I

କେହି କେହି କହୁଛନ୍ତି ରାଜ୍ୟରେ ଅନେକ ବଡ଼ ବଡ଼ ଦୁର୍ନୀତି ହେଉଥିଲେ ମଧ୍ୟ ଇଡ଼ି ଓ ସିବିଆଇ ନିରବ ରହିବାକୁ ନେଇ ବାରମ୍ବାର ପ୍ରଶ୍ନ ହେବାରୁ ଏବେ ଦୋଷତୁଟେଇବାକୁ ଏଭଳି ନାଟକ ରଚାଯାଇଛି I ଏହାଦ୍ୱାରା ଉଭୟ ବିଜେଡି ଓ ବିଜେପି ବାର୍ତ୍ତା ଦେବାକୁ ଚାହୁଁଛନ୍ତି ଯେ ଇଡ଼ି ଓ ସିବିଆଇକୁ ନେଇ ସେମାନଙ୍କ ଭିତରେ ସେଭଳି କିଛି ବୁଝାମଣା ହୋଇନାହିଁ I ତେଣୁ ଯାହା କୁହାଯାଉଛି ଇଡ଼ି ଓ ସିବିଆଇ ଭୟରେ ରାଜ୍ୟସଭା ନିର୍ବାଚନରେ ବିଜେଡି ଗୋଟିଏ ଆସନ ବିଜେପିକୁ ଛାଡିଦେଲା ତାହା ମିଛ I ଆଉ କିଛି ଅଭିଯୋଗ ହେଊଛିଯେ ଆଗାମୀ ନିର୍ବାଚନରେ ପ୍ରଫୁଲ୍ଲ ସାମଲ ଯେଉଁ ଯୋଜନା କରୁଛନ୍ତି ତାଙ୍କ ପୁଅକୁ ଭଣ୍ଡାରୀପୋଖରିରୁ ପ୍ରାର୍ଥୀ କରିବେ ବୋଲି ସେଥିରେ ରୋକ ଲଗେଇବା ପାଇଁ ଏଭଳି ନାଟକ କରାଯାଇଛି I କାରଣ ଯାହା ଶୁଣିବାକୁ ମିଳେ ଯେଉଁଦିନ ଇଡ଼ି ଚଢ଼ାଉ କଲା ସେହିଦିନ ଭଣ୍ଡାରୀପୋଖରୀରୁ ବହୁସଂଖ୍ୟାରେ ବିଜେଡି କର୍ମୀମାନେ ପ୍ରଫୁଲ୍ଲ ସାମଲଙ୍କ ଘରେ ରୁଣ୍ଡ ହୋଇ ସେମାନଙ୍କର ସମବେଦନା ଜଣେଇଥିଲେ ମଧ୍ୟ ତାଙ୍କ ପୁଅ ବିରୋଧରେ ଆକ୍ରୋଶଭାବ ଦେଖାଇଥିଲେ I ସେହିପରି ଦଳର ଆଖପାଖ ଅଂଚଳର ବିଧ୍ୟାୟକଙ୍କ ସମେତ ଦଳର ରାଜ୍ୟର ଟାଣୁଆ ଯୁବନେତା ମଧ୍ୟ ସନ୍ଧ୍ୟାରେ ଯାଇ ଶ୍ରୀ ସାମଲଙ୍କ ଘରେ ପଂହଁଚି ତାଙ୍କୁ ବୁଝେଇବାକୁ ଚେଷ୍ଟା କରିଥିଲେ ଯେ ଏସବୁ ପଛରେ ବିଜେଡ଼ି ନେତୃତ୍ୱର କୌଣସି ଭୂମିକା ନାହିଁ ବରଂ ଜଣେ ବିଜେପି ନେତାଙ୍କ ହାତ ଅଛି I କିନ୍ତୁ ଅସମର୍ଥିତ ସୂତ୍ରରୁ ଶୁଣାଯାଏଯେ ଯେତେବେଳେ ବିଜେପିକୁ ଗୋଟିଏ ରାଜ୍ୟସଭା ଆସନ ଛଡାଯିବାର ନିଷ୍ପତିକୁ ନେଇ ବିଜେଡ଼ି ବିଧାୟକ ମାନଙ୍କର ବୈଠକ ହେଲା ସେଥିରେ ପ୍ରଥମେ ଶ୍ରୀ ସାମଲ ଓ ପରେ ପରେ ଆଉ କିଛି ବରିଷ୍ଠ ବିଧାୟକମାନେ ବିରୋଧ କଲେ I ଏହା ସତ୍ତ୍ୱେ ଦଳ ବିଜେପି ପ୍ରାର୍ଥୀଙ୍କୁ ସମର୍ଥନ ଦେଲା, ତେଣୁ କାଳେ ଆଗକୁ ଦଳ ଭିତରେ କିଛି ଅସନ୍ତୋଷ ବଢିବ ତେଣୁ ବିଦ୍ରୋହିମାନଙ୍କ ପାଟି ବନ୍ଦ ରଖିବାକୁ ଇଡ଼ି ଚଢ଼ାଉ ରଚାଗଲା I ସେହିପରି ବିଜେପି ଭିତର ମହଲାରୁ ମିଳିଥିବା କିଛି ସୂଚନା ମୁତାବକ ଦଳ ଏଥର ଓଡିଶାରୁ ଅଧିକ ଆସନ ଆଗାମୀ ସାଧାରଣ ଆସନରେ ଜିତିବାର ଲକ୍ଷ ରଖିଛି କାରଣ ପୂର୍ବ ଥର ଅପେକ୍ଷା ଦଳ ଏଥର ପଶ୍ଚମବଙ୍ଗ, ବିହାର, ମହାରାଷ୍ଟ୍ର, ପଞ୍ଜାବ, କର୍ଣ୍ଣାଟକ, ତେଲେଙ୍ଗାନା, ତାମିଲନାଡୁ, ହରିୟାଣା, ଦିଲ୍ଲୀ ସମେତ ମଧ୍ୟପ୍ରଦେଶ, ଛତିଶଗଡ଼ ଓ ରାଜସ୍ଥାନରେ ସେଭଳି ସୁବିଧାଜନକ ସ୍ଥିତିରେ ନାହିଁ I ତେଣୁ ଇଡ଼ି ଚଢ଼ାଉ କରି ବାର୍ତ୍ତା ଦିଆଗଲାଯେ ଆଗାମୀ ସାଧାରଣ ନିର୍ବାଚନରେ ଓଡିଶାରୁ କିଭଳି ଅଧିକ ସାଂସଦ ଜିତିବେ ସେଥିପାଇଁ ବିଜେଡି ତାର ବ୍ୟବସ୍ଥା କରିବ ନଚେତ ଏବେ କେବଳ ନମୁନା ଦେଖାଗଲା ଆଗକୁ ପୁରା ସିନେମା ଦେଖେଇଦିଆଯିବ I

କାରଣ ଯାହାବି ହେଉ ଇଡ଼ିର ଅଦିନିଆ ବର୍ଷା ଭଳି ଅଚାନକ ଓଡ଼ିଶାର ଜଣେ ଶାସକ ଦଳର ବିଧାୟକଙ୍କ ଘରେ ଚଢ଼ାଉ ରାଜ୍ୟବାସୀଙ୍କୁ ଯେତିକି ଆଶ୍ଚର୍ଯ୍ୟ କରିଛି, ଅନ୍ୟପକ୍ଷରେ ଶ୍ର ସାମଲଙ୍କ ଛବି ମଧ୍ୟ ସେତିକି ମଳିନ ହୋଇଛି I              


Spread the love

One thought on “ଅଦିନିଆ ବର୍ଷା ପଛର କାହାଣୀ କ’ଣ ?

  1. କାରଣ ଅନ୍ୟ କିଛି, କିଛିଦିନ ପୂର୍ବର ଘଟଣାକୁ ମନେ ପକାଇଲେ ଜଣାପଡ଼ିବ ଯେ, ବିଧାୟକ ସୋମ୍ୟ ବାବୁଙ୍କ ପାଣ୍ଡିଆନ ସାର୍‌ଙ୍କ ବିରୋଧରେ ସମ୍ବାଦ ଖବର କଗଜରେ ଲେଖା ସମୟରେ ପ୍ରଫୁଲ୍ଲ ସାମଲ ହେଉଛନ୍ତି ଏକମାତ୍ର ବିଧାୟକ ଯିଏ କି ମୁହଁ ଖୋଲିଥିଲେ ଏବଂ ସେତେବେଳେ କିଛି ଦଳୀୟ ବିଧାୟକ ତାଙ୍କ ମୁଣ୍ଡ ଖରାପ ହୋଇଯଇଛି ବୋଲି କହିବାକୁ ପଛାଇ ନଥିଲେ।

Leave a Reply

Your email address will not be published. Required fields are marked *