ଅରବିନ୍ଦ ଦାସ
୨ ଜାନୁଆରୀ, ୧୯୫୪ ମସିହାରେ ସ୍ୱାଧୀନ ଭାରତରେ ‘ଭାରତରତ୍ନ’ ନାମକ ସର୍ବୋଚ୍ଚ ବେସାମରିକ ସମ୍ମାନ୍ନ ସ୍ଥାପନ କରାଗଲା I ଏହାର ମୂଳ ଉଦ୍ଦେଶ୍ୟ ଥିଲା କଳା, ସାହିତ୍ୟ, ବିଜ୍ଞାନ ଏବଂ ସେବା କ୍ଷେତ୍ରରେ ଦେଶକୁ ଗୌରବାନିତ କରିଥିବା ବ୍ୟକ୍ତି ବିଶେଷଙ୍କୁ ସମ୍ମାନିତ କରିବା ଓ ଏହାଦ୍ୱାରା ଅନ୍ୟମାନେ ପ୍ରେରଣା ପାଇବେ I
ଯଦିଓ ଯୋଗ୍ୟବ୍ୟକ୍ତି ଚୟନ କିଭଳି କରାଯିବ ସେ ସମ୍ପର୍କରେ କୌଣସି ଲିଖିତ ପ୍ରଣାଳୀ ଉଲ୍ଲେଖ ନାହିଁ କିନ୍ତୁ ଆଜି ପର୍ଯ୍ୟନ୍ତ ଗୋଟିଏ ପ୍ରଣାଳୀ ଅବଲମ୍ବନ କରାଯାଉଛି, ତାହା ହେଉଛି ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା କେଉଁମାନେ ଭାରତରତ୍ନ ପାଇବାପାଇଁ ଚୟନ ହେଲେ ତାର ତାଲିକା ରାଷ୍ଟ୍ରପତିଙ୍କ ନିକଟକୁ ପଠାଯିବ ଯାହାକୁକି ରାଷ୍ଟ୍ରପତି ଅନୁମୋଦନ କରିବେ ଓ ତାହା ଦେଶବାସୀଙ୍କ ଉଦ୍ଦେଶ୍ୟରେ ପ୍ରକାଶ କରାଯିବ I ଯଦିଓ ପ୍ରତିବର୍ଷ ସର୍ବାଧିକ କେତେଜଣଙ୍କୁ ଏହି ସମ୍ମାନ ଦିଆଯିବ ତାହା ଉଲ୍ଲେଖ ନାହିଁ କିନ୍ତୁ ସାଧରଣତ ସର୍ବାଧିକ ୩ ଜଣଙ୍କ ନାମ ଉଲ୍ଲେଖ କରାଯାଇଥାଏ I ଅବଶ୍ୟ ୧୯୯୯ ରେ ୪ ଜଣଙ୍କୁ ଦିଆଯାଇଥିଲା I
ପ୍ରଥମେ କିଛି ବର୍ଷ ଏହି ସମ୍ମାନ ଜୀବିତ ବ୍ୟକ୍ତିବିଶେଷଙ୍କୁ ଦିଆଯାଉଥିଲା କିନ୍ତୁ ୧୯୬୬ ଜାନୁଆରୀ ମାସରେ ଏଥିରେ ସଂଶୋଧନ କରାଯାଇ ମରଣୋତ୍ତର ସମ୍ମାନ ଦିଆଯିବାର ପ୍ରାବଧାନ କରାଗଲା I ଯଦିଓ ଏହି ସମ୍ମାନ କେବଳ ଭାରତୀୟ ମାନଙ୍କୁ ଦିଆଯିବାର ପ୍ରାବଧାନ ଥିଲା ମୂଳରୁ କିନ୍ତୁ ସେଥିରେ କିଛି ପରିବର୍ତନ କରାଯାଇ ୧୯୮୭ ମସିହାରେ ପାକିସ୍ତାନ ନିବାସୀ ଅବଦୁଲ ଗଫର ଖାଁ ଓ ୧୯୯୦ ମସିହାରେ ଦକ୍ଷିଣ ଆଫ୍ରିକାର ନେଲସନ ମଣ୍ଡେଲାଙ୍କୁ ଏହି ସମ୍ମାନରେ ସମ୍ମାନିତ କରାଯାଇଥିଲା I ଏହାର ଅନ୍ୟ ଏକ ବିଶେଷତ୍ୱ ହେଉଛି ଏହି ପୁରସ୍କାର ସ୍ଥାପନ ହେବା ପୂର୍ବରୁ ଯେଉଁ ମହାପୁରୁଷ ମାନଙ୍କର ଦେହାନ୍ତ ହୋଇଯାଇଛି ସେମାନଙ୍କ ମଧ୍ୟରୁ କାହାରିକୁବି ସମ୍ମାନିତ କରାଯାଉନଥିଲା I ୧୯୯୨ ମସିହାରେ ମହାନ ସ୍ୱାଧୀନତା ସଂଗ୍ରାମୀ ସୁବାଷ ଚନ୍ଦ୍ର ବୋଷଙ୍କୁ ମରଣୋତ୍ତର ଭାରତରତ୍ନ ସମ୍ମାନରେ ସମ୍ମାନିତ କରାଯିବ ବୋଲି ଘୋଷଣା ହୋଇଥିଲା କିନ୍ତୁ ତାଙ୍କ ପରିବାର ଏହାକୁ ଗ୍ରହଣ କଲେନାହିଁ ଯେହେତୁ ସୁବାଷ ବୋଷଙ୍କ ଦେହାନ୍ତ ବିଷୟରେ ଏଵେସୁଦ୍ଧା କୌଣସି ସଠିକ ସୂଚନା ନାହିଁ I ସେହିପରି ୨୦୧୫ ମସିହାରେ ଉତ୍ତରପ୍ରଦେଶ ପଂଚାୟତ ନିର୍ବାଚନ ପୂର୍ବରୁ ମଦନମୋହନ ମାଲବ୍ୟ (ଯାହାଙ୍କର ଦେହାନ୍ତ ୧୯୪୬ ମସିହାରେ ହୋଇଥିଲା)ଙ୍କୁ ଏହି ସମ୍ମାନରେ ସମ୍ମାନିତ କରାଯିବା ନିଷ୍ପତିକୁ ନେଇ ବିବାଦ ଦେଖା ଦେଇଥିଲା I
ଯେହେତୁ ଏହାର ଚୟନ ପ୍ରଣାଳୀ ବିଷୟରେ କୌଣସି ନିୟମାବଳୀ ନାହିଁ ତେଣୁ ଏହାର ଦୁରୁପଯୋଗ ହେଉଥିବାର ଅନେକ ଥର ଅଭଯୋଗ ହୋଇଆସୁଛି I ଯେପରିକି ପଣ୍ଡିତ ଜବାହାରଲାଲ ନେହେରୁ ((୧୯୫୫) ଓ ଇନ୍ଦିରା ଗାନ୍ଧୀ (୧୯୭୧) ପ୍ରଧାନମନ୍ତ୍ରୀ ଥିଲା ବେଳେ ନିଜ ନାମକୁ ସୁପାରିଶ କରି ଏହି ସମ୍ମାନ ଗ୍ରହଣ କରିଥିଲେ ଅଭିଯୋଗ ହୁଏ I ଯଦିଓ ପରେ ରାଷ୍ଟ୍ରପତି ଭବନରୁ ଜଣାପଡିଥିଲାଯେ ସେମାନଙ୍କୁ ସେହି ସମୟରେ ତତ୍କାଳୀନ ରାଷ୍ଟ୍ରପତି ଚୟନ କରିଥିଲେ I
ସେହିଭଳି ଏବେ ଏହି ପୁରାସ୍କାରର ରାଜନୀତିକରଣକୁ ନେଇ ଅନେକ ଅଭିଯୋଗ ହେଉଛି I ଯେପରିକି ୨୦୧୪ ମସିହାରେ ଏଥିରେ ସଂଶୋଧନ କରାଯାଇ ଯେକୌଣସି କ୍ଷତ୍ରରେ ପାରଦର୍ଶିତା ରଖିଥିବା ବ୍ୟାଙ୍କିଙ୍କୁ ଏହି ସମ୍ମାନ ଦିଆଯିବ ବୋଲି ନିଷ୍ପତି ନିଆଯାଇ କ୍ରିକେଟର ସଚିନ ତେନ୍ଦୁଲକରଙ୍କୁ ଏହି ସମ୍ମାନରେ ସମ୍ମାନିତ କରାଗଲା I ସେତବେଳେ ଅଭିଯୋଗ ହୋଇଥିଲାଯେ ଆଗକୁ ସାଧାରଣ ନିର୍ବାଚନ ଅଛି ଓ ତେନ୍ଦୁଲକର ଯୁବପିଢିଙ୍କ ‘ଆଇକନ’ ତେଣୁ ନିର୍ବାଚନରେ ଫାଇଦା ପାଇବା ପାଇଁ ପ୍ରଧାନମନ୍ତ୍ରୀ ଏଭଳି ନିଷ୍ପତି ନେଲେ I କାରଣ ଅନେକ ଦିନରୁ ହକି ଖେଳାଳି ଧ୍ୟାନଚାନ୍ଦ ଙ୍କ ସମେତ ବହୁ ପୁରୁଖା ଖେଳାଳି ଯେଉଁଯାନେକି ଦେଶକୁ ଗୌରବାନ୍ୱିତ କରିଛନ୍ତି ସେମାନଙ୍କୁ ଏହି ସମ୍ମାନ ଦେବାପାଇଁ ଦାବି ହେଉଥିଲେ ମଧ୍ୟ ସରକାର ଶୁଣୁ ନଥିଲେ I ଅବଶ୍ୟ ତେନ୍ଦୁଲକରଙ୍କୁ ଏହି ସମ୍ମାନରେ ସମ୍ମାନିତ କଲାପରେବି ନିର୍ବାଚନରେ କଂଗ୍ରେସକୁ କିଛି ଲାଭ ମିଳିନଥିଲା I
ଏବେ ପୁଣି ଭାରତରତ୍ନର ରାଜନୀତିକରଣକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି, କାରଣ ସାଧାରଣ ନିର୍ବାଚନ ଆଉ ମାତ୍ର କିଛି ମାସ ଥିଲାବେଳେ ହଠାତ ରେକର୍ଡ ସଂଖ୍ୟକ ୫ ଜଣଙ୍କୁ ଭାରତରତ୍ନ ଦିଆଯିବା ପଛରେ ରାଜନୈତିକ ମନ୍ଦ ଉଦ୍ଦେଶ୍ୟ ରହିଛି ବୋଲି ଅଭିଯୋଗ ହେଉଛି I କାରଣ ୫ ଜଣଙ୍କ ମଧ୍ୟରେ ଅଛନ୍ତି ଲାଲକୃଷ୍ଣ ଆଢବାଣୀ ଯାହାଙ୍କ ପ୍ରତି ମୋଦି ଅନ୍ୟାୟ କରିଛନ୍ତି ବୋଲି ଅଭିଯୋଗ ହୁଏ I ଏପରିକି ରାମ ମନ୍ଦିରର ସଫଳ ପ୍ରତିଷ୍ଠା କେବଳ ଆଢବାଣୀଙ୍କ ଯୋଗୁ ସମ୍ଭବ ହେଲା ବୋଲି କୁହାଯାଉଥିଲା ବେଳେ ତାଙ୍କୁ ଜାଣିଶୁଣି ଷଡଯନ୍ତ୍ର କରି ପ୍ରତିଷ୍ଠା ସମାରୋହରୁ ଦୁରେଇ ରଖାଗଲାବୋଲି ଅଭିଯୋଗ ହୁଏ I ତେଣୁ ନିର୍ବାଚନ ପୂର୍ବରୁ ତାଙ୍କୁ ଭାରତରତ୍ନ ଦେଇ ମୋଦି ଏକ ରାଜନୈତକ ଖେଳ ଖେଳିଲେ ନିଜ ପାପ ଧୋଇବାକୁ ବୋଲି କୁହାଯାଉଛି I ସେହିପରି ବିରୋଧୀ ଗଠବନ୍ଧନକୁ ଦୁର୍ବଳ କରିବାକୁ ଯାଇ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ କର୍ପୂରି ଠାକୁର ଓ ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଉତ୍ତରପ୍ରଦେଶର ଜନନେତା ସ୍ବର୍ଗତ ଚୌଧୁରୀ ଚରଣ ସିଂଙ୍କୁ ଭାରତରତ୍ନ ଦିଆଯିବାର ଘୋଷଣା କରାଗଲା I ଏହି ଘୋଷଣା ପରେ ବିହାରରେ ନୀତିଶ କୁମାର ନେତୃତ୍ୱାଧୀନ ଜନତାଦଳ (ୟୁନାଇଟେଡ଼) କୁ ମୋଦି ନିଜ ପକ୍ଷକୁ ନେବା ସହ ରାଜ୍ୟରେ ମିଳିତ ସରକାର ଗଢିବାରେ ସକ୍ଷମ ହେଲେ ଓ ଉତ୍ତରପ୍ରଦେଶରେ ଚରଣ ସିଂଙ୍କ ନାତି ଜୟନ୍ତ ଚୌଧୁରୀଙ୍କ ନେତୃତ୍ବାଧୀନ ରାଷ୍ଟ୍ରୀୟ ଲୋକ ଦଳ ବିରୋଧୀ ମେଣ୍ଟ ଛାଡି ବିଜେପି ନେତୃତ୍ୱାଧୀନ ମେଣ୍ଟରେ ସାମିଲହେଲେ I ଅର୍ଥାତ ଏହାଦ୍ୱାରା ମୋଦି ବିରୋଧୀମେଣ୍ଟକୁ ଦୁର୍ବଳ କରିବାରେ ସକ୍ଷମ ହେଲେ I ସେହିପରି ଦକ୍ଷିଣ ଭାରତରେ ବିଜେପିର ସ୍ଥିତି ବହୁତ ଖରାପ ଥିବାରୁ ପୂର୍ବର ଆନ୍ଧ୍ର ତଥା ବର୍ତମାନର ତେଲେଙ୍ଗାନା ର ଜଣାଶୁଣା ନେତା ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ପି. ଭି. ନରସିଂହରାଓ ଙ୍କୁ ଭାରତରତ୍ନ ଘୋଷଣା କରାଗଲା ଦଳର ସ୍ଥିତି ସମ୍ଭାଳିବା ପାଇଁ I ସେହିପରି କେନ୍ଦ୍ର ସରକାର ଚାଷୀ ମାନଙ୍କ ସମସ୍ୟା ନେଇ ବିବାଦରେ ରହିଛି ଓ ଆଗକୁ ନିର୍ବାଚନ ଥିବାରୁ କୃଷି ବୈଜ୍ଞାନିକ ଏମ. ଏସ. ସ୍ୱମୀନାଥନ ଙ୍କୁ ଭାରତରତ୍ନ ଘୋଷଣା କରିଯାଇଛି କାଳେ ଏହାଦ୍ୱାରା ଚାଷୀଙ୍କ ମନ ଜିଣି ହେବ ଓ ତାମିଲନାଡୁରେ ଦଳର କିଛି ସ୍ଥିତି ସୁଧୁରିବ I କିନ୍ତୁ ପ୍ରକାଶଯୋଗ୍ୟ ଯେ ସ୍ୱାମୀନାଥନଙ୍କ ଦ୍ୱାରା କୃଷକଙ୍କ ହିତରେ ପ୍ରସ୍ତୁତ ରିପୋର୍ଟକୁ କେନ୍ଦ୍ର ସରକାର ଏପର୍ଯ୍ୟନ୍ତ କାର୍ଯ୍ୟକାରୀ କରୁନାହାନ୍ତି ଯଦିଓ ୨୦୧୪ ମସିହାରେ ବିଜେପି ର ଏହା ନିର୍ବାଚନ ପ୍ରତିଶୃତି ଥିଲା . ଗୋଟିଏପଟେ ଦେଶର ଅନେକ ନୋବେଲ ପୁରସ୍କାରପ୍ରାପ୍ତ ବ୍ୟକ୍ତିମାନଙ୍କୁ ଭାରତରତ୍ନରୁ ବଂଚିତ ରଖାଯାଇ ରାଜନୈତିକ ଉଦ୍ଦେଶ୍ୟ ରଖି ଗୋଟିଏ ବର୍ଷରେ ରେକର୍ଡ ସଂଖ୍ୟକ ପୁରସ୍କାର ବାଣ୍ଟିବାକୁ ନେଇ ବିବାଦ ଦେଖା ଦେଇଥିଲା ବେଳେ ବିଭିନ୍ନ ରାଜ୍ୟରୁ ଏହି ଦାବି ଆଗାମୀ ଦିନରେ ବିବାଦକୁ ଆହୁରି ଘନୀଭୂତ କରିବା ସହ ଏହି ପୁରସ୍କାରର ଗାରିମା ନଷ୍ଠହେବ I କାରଣ ଏବେ ଓଡ଼ିଶାର ଜନନେତା ବିଜୁ ପଟ୍ଟନାୟକଙ୍କ ସମେତ ଏନ. ଟି. ରାମା ରାଓ, ଜ୍ୟୋତି ବାସୁ, କାଂଶୀ ରାମ, ପ୍ରକାଶ ସିଂ ବାଦଲ, ବିନାୟକ ଦାମୋଦର ସାବରକରଙ୍କ ସମେତ ଅନ୍ୟ ସମସ୍ତ ପୂର୍ବତନ ପ୍ରଧାନମନ୍ତ୍ରୀମାନଙ୍କୁ ଭାରତରତ୍ନ ଦେବାକୁ ଆଗାମୀ ଦିନରେ ଜୋରଦାର ରାଜନୈତିକ ଦାବି ଉଠିବ I ତେଣୁ ଏବେ ଆଲୋଚନା ହେଉଛି ଏହି ସରକାର ଯଦି ଏକ ବିଲ ଆଣନ୍ତି, ଯିଏବି ଦେଶର ରାଷ୍ଟ୍ରପତି, ଉପରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ ଉପପ୍ରଧାନମନ୍ତ୍ରୀ ହେବେ ସେମାନେ ପରବର୍ତୀ ସମୟରେ ଭାରତରତ୍ନ ପାଇବା ପାଇଁ ଯୋଗ୍ୟ ସେଥିରେ କୌଣସି ଆଶ୍ଚର୍ଯ୍ୟ ହେବାର ନାହିଁ I