5t ସ୍କୁଲ ରୂପାନ୍ତରଣରେ ସିଏଜିଙ୍କ ଆପତ୍ତି : ବିଧାନ ସଭାରେ ଉଠିଲା ଅଧାପନ୍ତରିଆ କାମ ଓ ଆର୍ଥିକ ଅନିମିୟତତା ପ୍ରସଙ୍ଗ ।

Spread the love

୫-ଟି ସ୍କୁଲ ରୂପାନ୍ତରଣରେ ସିଏଜିଙ୍କ ଆପତ୍ତି; ବିଧାନସଭାରେ ଉଠିଲା ଅଧାପନ୍ତରିଆ କାମ ଓ ଆର୍ଥିକ ଅନିୟମିତତା ପ୍ରସଙ୍ଗ

୧୩,୭୮୪ ସ୍କୁଲରେ ଅଧା ରହିଛି ଭିତ୍ତିଭୂମି ବିକାଶ, ୯୩,୪୮୩ କୋଟିର ବଜେଟ୍‌ରୁ ଖର୍ଚ୍ଚ ୮୧,୫୩୪ କୋଟି

ସ୍ୱତନ୍ତ୍ର ରିପୋର୍ଟ: ସୁରେନ୍ଦ୍ର ବାରିକ

ଓଡ଼ିଶାର ସରକାରୀ ବିଦ୍ୟାଳୟଗୁଡ଼ିକର ରୂପାନ୍ତରଣକୁ ନେଇ ପୂର୍ବ ସରକାରଙ୍କ ବହୁଚର୍ଚ୍ଚିତ ୫-ଟି ଅଭିଯାନ ଏବେ ପୁଣି ଚର୍ଚ୍ଚାକୁ ଆସିଛି। ବିଧାନସଭାର ଅଧିବେଶନର ସପ୍ତମ ଦିନରେ ପ୍ରଶ୍ନକାଳ ସମୟରେ ଏହି ପ୍ରସଙ୍ଗକୁ ନେଇ ସରକାରଙ୍କୁ ଘେରିଥିଲେ ବିଧାୟକ। ଭାରତର ନିୟନ୍ତ୍ରକ ଓ ମହାଲେଖା ପରୀକ୍ଷକ (ସିଏଜି)ଙ୍କ ରିପୋର୍ଟରେ ଉଠିଥିବା ଅଧାପନ୍ତରିଆ ନିର୍ମାଣ କାର୍ଯ୍ୟ, ଅର୍ଥ ବିନିଯୋଗ ଓ ଶିକ୍ଷାର ଗୁଣାତ୍ମକ ମାନକୁ ନେଇ ଉଠିଥିଲା ଏକାଧିକ ପ୍ରଶ୍ନ।

ବାଚସ୍ପତି ସୁରମା ପାଢ଼ୀଙ୍କ ଅଧ୍ୟକ୍ଷତାରେ ଚାଲିଥିବା ଗୃହରେ ଭଟଲି ବିଧାୟକ ଈରାଶିଷ ଆଚାର୍ଯ୍ୟ ଜାଣିବାକୁ ଚାହିଁଥିଲେ, ହଜାର ହଜାର କୋଟି ଟଙ୍କା ବ୍ୟୟରେ ସ୍କୁଲ ରୂପାନ୍ତରଣ କରାଯାଇଥିବା ଦାବି ମଧ୍ୟରେ ଏତେ ସଂଖ୍ୟକ ବିଦ୍ୟାଳୟର ଭିତ୍ତିଭୂମି କାହିଁକି ଅସମ୍ପୂର୍ଣ୍ଣ ରହିଲା? ଏହା ସହିତ ଶିକ୍ଷାର ମାନ ବୃଦ୍ଧି ହୋଇଛି କି ନାହିଁ, ତାହାର ସ୍ୱାଧୀନ ମୂଲ୍ୟାୟନ କେବେ ହୋଇଛି?

ସିଏଜି ରିପୋର୍ଟକୁ ଆଧାର କରି ଉଠିଥିବା ପ୍ରଶ୍ନ ଅନୁଯାୟୀ, ୫-ଟି ସ୍କୁଲ ରୂପାନ୍ତରଣ ଯୋଜନାରେ ୧୩,୭୮୪ଟି ବିଦ୍ୟାଳୟର ଭିତ୍ତିଭୂମି ବିକାଶ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇପାରି ନଥିଲା। ଯଦି ଏହି ଅଭିଯାନ ଏତେ ସଫଳ ହୋଇଥିଲା, ତେବେ ଏତେ ସଂଖ୍ୟକ ସ୍କୁଲରେ କାମ ଅଧାପନ୍ତରିଆ ରହିବାର କାରଣ କ’ଣ ବୋଲି ପ୍ରଶ୍ନ ଉଠିଥିଲା।

ସେହିପରି ୫-ଟି ନାମରେ ପୃଥକ ବିଭାଗ ନଥିବା ସତ୍ତ୍ୱେ ଏହି ଯୋଜନାରେ ଖର୍ଚ୍ଚ ହୋଇଥିବା ଅର୍ଥ କେଉଁ ବିଭାଗ ଓ କେଉଁ ଯୋଜନା ମାଧ୍ୟମରେ ଖର୍ଚ୍ଚ କରାଯାଇଥିଲା, ତାହାର ସ୍ପଷ୍ଟ ହିସାବ ମଧ୍ୟ ମଗାଯାଇଥିଲା।

ସିଏଜିଙ୍କ ୨୦୧୮-୨୩ ଅବଧିର ରିପୋର୍ଟ ଅନୁଯାୟୀ, ଶିକ୍ଷା କ୍ଷେତ୍ରରେ ମୋଟ ୯୩,୪୮୩.୧୮ କୋଟି ଟଙ୍କାର ବଜେଟ୍‌ ବ୍ୟବସ୍ଥା ଥିବାବେଳେ ବାସ୍ତବ ବ୍ୟୟ ହୋଇଥିଲା ୮୧,୫୩୪.୫ କୋଟି ଟଙ୍କା। ଅର୍ଥାତ୍‌ ପ୍ରାୟ ୧୧,୯୪୮.୬୮ କୋଟି ଟଙ୍କା ବ୍ୟୟ ହୋଇପାରି ନଥିଲା। ଏତେ ବଡ଼ ପରିମାଣର ଅର୍ଥ ଅବ୍ୟୟିତ ରହିବାର କାରଣ କ’ଣ, ତାହା ନେଇ ମଧ୍ୟ ପ୍ରଶ୍ନ ଉଠିଥିଲା।

ବିଧାନସଭାରେ ଉତ୍ତର ରଖି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ କହିଥିଲେ ଯେ, ପୂର୍ବ ସରକାରଙ୍କ ସମୟରେ ୫-ଟି ସ୍କୁଲ ରୂପାନ୍ତରଣ କାର୍ଯ୍ୟ ପାଇଁ ମୁଖ୍ୟତଃ କର୍ପୋରେଟ୍‌ ସାମାଜିକ ଦାୟିତ୍ୱ (ସିଏସ୍‌ଆର୍‌), ଓଏମ୍‌ବିଏଡିସି ଏବଂ ପଞ୍ଚାୟତିରାଜ ବିଭାଗ ମାଧ୍ୟମରେ ମନରେଗା ପାଣ୍ଠିର ବିନିଯୋଗ କରାଯାଇଥିଲା।

ତେବେ ଏହି ଖର୍ଚ୍ଚ ସମ୍ପର୍କିତ ବିନିଯୋଗ ପ୍ରମାଣପତ୍ର (ୟୁସି) ସଂଗ୍ରହ ଓ ଦାଖଲ ପ୍ରକ୍ରିୟା ଏଯାଏଁ ସମ୍ପୂର୍ଣ୍ଣ ହୋଇନଥିବା ମନ୍ତ୍ରୀ ସ୍ୱୀକାର କରିଥିଲେ। କେବଳ ବିଦ୍ୟାଳୟର କୋଠା, ରଙ୍ଗ, ଟାଇଲ୍ସ ଓ ସ୍ମାର୍ଟ କ୍ଲାସରୁମ୍‌ ନିର୍ମାଣ ନୁହେଁ, ପିଲାଙ୍କ ଶିକ୍ଷଣ ଦକ୍ଷତାରେ ମଧ୍ୟ ଉନ୍ନତି ଆସିବା ଆବଶ୍ୟକ। ଏହି କ୍ଷେତ୍ରରେ ଅଭାବ ରହିଥିବା କଥା ମଧ୍ୟ ମନ୍ତ୍ରୀଙ୍କ ଉତ୍ତରରୁ ସ୍ପଷ୍ଟ ହୋଇଥିଲା।

ପୂର୍ବ ଯୋଜନାର ତ୍ରୁଟି ସୁଧାରିବା ସହ ସରକାରୀ ଶିକ୍ଷା ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ପାଇଁ ନୂଆ ସରକାର ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଉଥିବା ମନ୍ତ୍ରୀ ଗୃହକୁ ଜଣାଇଥିଲେ।

ପ୍ରଥମ : ସ୍କୁଲ ବାହାରେ ଥିବା ପିଲାଙ୍କୁ ଫେରାଇ ଆଣିବା:** ଶିକ୍ଷାରୁ ବଞ୍ଚିତ ଓ ସ୍କୁଲ ଛାଡ଼ିଥିବା ପିଲାଙ୍କୁ ଚିହ୍ନଟ କରି ପୁନଃ ନାମ ଲେଖାଇବା ପାଇଁ ରାଜ୍ୟବ୍ୟାପୀ ଶିଶୁ ଟ୍ରାକିଂ ସର୍ଭେ ସହ ‘ଆସ ସ୍କୁଲ ଯିବା’ ଅଭିଯାନ ଆରମ୍ଭ ହୋଇଛି।

ଦ୍ୱିତୀୟ : ଶତ ପ୍ରତିଶତ ନାମଲେଖା: ପ୍ରତିବର୍ଷ ଏପ୍ରିଲ୍‌ ମାସରେ ପ୍ରବେଶ ଉତ୍ସବ ଓ ଶିକ୍ଷା ସଚେତନତା ରଥ ମାଧ୍ୟମରେ ଗାଁଠୁ ସହର ପର୍ଯ୍ୟନ୍ତ ନାମଲେଖା ଅଭିଯାନ ଚାଲିଛି। ଏଥିରେ ପଞ୍ଚାୟତିରାଜ ପ୍ରତିନିଧି, ପ୍ରଧାନଶିକ୍ଷକ ଓ ବିଦ୍ୟାଳୟ ପରିଚାଳନା କମିଟି ସାମିଲ ହେଉଛନ୍ତି।

ତୃତୀୟ : ଅଭିଭାବକ-ଶିକ୍ଷକ ବୈଠକ: ପ୍ରତି ତିନି ମାସରେ ଥରେ ରାଜ୍ୟର ସମସ୍ତ ସ୍କୁଲରେ ଏକକାଳୀନ ଅଭିଭାବକ-ଶିକ୍ଷକ ବୈଠକ ଆୟୋଜନ କରାଯାଉଛି। ଏଥିରେ ଛାତ୍ରଛାତ୍ରୀଙ୍କ ଉପସ୍ଥାନ, ପାଠପଢ଼ାର ଅଗ୍ରଗତି ଓ ସହପାଠ୍ୟକ୍ରମ କାର୍ଯ୍ୟକଳାପର ସମୀକ୍ଷା ହେଉଛି।

ଚଥୁର୍ତ: ଛାତ୍ରଙ୍କୁ ଆର୍ଥିକ ସହାୟତା: ନବମ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ସାଇକେଲ୍‌ କିଣିବା ପାଇଁ ୩,୫୦୦ ଟଙ୍କା ଦିଆଯାଉଛି। ନବମ ଓ ଦଶମ ଶ୍ରେଣୀର ପିଲାଙ୍କୁ ମାଗଣା ପୋଷାକ ଏବଂ ଅନୁସୂଚିତ ଜାତି ଓ ଜନଜାତି ବର୍ଗର ଛାତ୍ରଛାତ୍ରୀଙ୍କୁ ମାଗଣା ପାଠ୍ୟପୁସ୍ତକ ଯୋଗାଇ ଦିଆଯାଉଛି। ଏହା ସହ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର, ଓଡ଼ିଆ ଭାଷା ବୃତ୍ତି, ଓଡ଼ିଆ ମେଧା ବୃତ୍ତି, ପଠାଣି ସାମନ୍ତ ଗଣିତ ପ୍ରତିଭା ବୃତ୍ତି ଆଦି ମାଧ୍ୟମରେ ମେଧାବୀ ଓ ଆର୍ଥିକ ଅନଗ୍ରସର ପିଲାଙ୍କୁ ସହାୟତା ଦିଆଯାଉଛି।

ପଞ୍ଚମ : ଛାତ୍ରୀଙ୍କ ଶିକ୍ଷା ଓ ସୁରକ୍ଷା: ରାଜ୍ୟର ୨୩ଟି ଜିଲ୍ଲାରେ ୧୮୨ଟି କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟ (କେଜିବିଭି) ଟାଇପ୍‌-୩ ଛାତ୍ରୀନିବାସ କାର୍ଯ୍ୟକ୍ଷମ ରହିଛି। ଏହା ସହ ଅନୁସୂଚିତ ଜାତିର ଛାତ୍ରୀଙ୍କୁ ଆତ୍ମରକ୍ଷା ପ୍ରଶିକ୍ଷଣ ଦିଆଯାଉଛି।

ଷଷ୍ଠ : ଆଦର୍ଶ ବିଦ୍ୟାଳୟ ଓ ଆବାସିକ ଶିକ୍ଷା: ଗୋଦାବରୀଶ ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନାରେ ୧,୦୩୮ଟି ବିଦ୍ୟାଳୟ ଅନୁମୋଦିତ ହୋଇଥିବାବେଳେ ୯୫୨ଟିର ଶିଳାନ୍ୟାସ କରାଯାଇଛି। ସେହିପରି ପିଏମ୍‌-ଜନମନ୍‌ ଯୋଜନାରେ ୭୬ଟି ଓ ଡିଏ-ଜେଜିୟୁଏ ଯୋଜନାରେ ୪୦ଟି ବିଦ୍ୟାଳୟରେ ନୂତନ ଆବାସିକ ଛାତ୍ରାବାସ ନିର୍ମାଣ ପାଇଁ ପଦକ୍ଷେପ ନିଆଯାଇଛି।

ଏହାବ୍ୟତୀତ ବିଜ୍ଞାନ ପରୀକ୍ଷାଗାର, ଖେଳପଡ଼ିଆ, କ୍ରୀଡ଼ା ଉପକରଣ, ଆସବାବପତ୍ର ଓ ଶୌଚାଳୟ ଭଳି ମୌଳିକ ସୁବିଧାର ବିକାଶ ଉପରେ ମଧ୍ୟ ସରକାର ଗୁରୁତ୍ୱ ଦେଉଛନ୍ତି।

ବିଧାନସଭାରେ ଉଠିଥିବା ପ୍ରଶ୍ନ ଓ ମନ୍ତ୍ରୀଙ୍କ ଉତ୍ତରରୁ ସ୍ପଷ୍ଟ ହୋଇଛି ଯେ, ଓଡ଼ିଶାର ସରକାରୀ ଶିକ୍ଷା ବ୍ୟବସ୍ଥା ଆଗରେ ଏବେ ଦୁଇଟି ବଡ଼ ଚ୍ୟାଲେଞ୍ଜ୍‌ ରହିଛି। ପ୍ରଥମଟି ହେଉଛି ପୂର୍ବରୁ ଖର୍ଚ୍ଚ ହୋଇଥିବା ଅର୍ଥର ସ୍ୱଚ୍ଛ ହିସାବ ଓ ବିନିଯୋଗ ପ୍ରମାଣପତ୍ର ସଂଗ୍ରହ। ଦ୍ୱିତୀୟଟି ହେଉଛି ବିଦ୍ୟାଳୟର ଭିତ୍ତିଭୂମି ସହ ପିଲାଙ୍କ ପ୍ରକୃତ ଶିକ୍ଷଣ ଦକ୍ଷତାରେ ଉନ୍ନତି ଆଣିବା।

ସ୍କୁଲର ରଙ୍ଗ, କୋଠା, ସ୍ମାର୍ଟ କ୍ଲାସରୁମ୍‌ ଓ ଆଧୁନିକ ସୁବିଧା ଶିକ୍ଷାର ଏକ ଅଂଶ ମାତ୍ର। ପିଲା ପଢ଼ିବା, ଲେଖିବା ଓ ଗଣିତ କରିବାରେ କେତେ ଦକ୍ଷ ହେଲେ, ଶିକ୍ଷକଙ୍କ ଉପସ୍ଥାନ କିପରି ରହିଲା ଏବଂ ଡ୍ରପ୍‌ଆଉଟ୍‌ ହାର କେତେ କମିଲା, ତାହା ହିଁ ଶିକ୍ଷାର ପ୍ରକୃତ ସଫଳତାର ମାପକାଠି।

ଏବେ ଅପେକ୍ଷା, ସରକାରଙ୍କ ନୂଆ ଶିକ୍ଷା ରୋଡମ୍ୟାପ୍‌ କେବଳ ଘୋଷଣାରେ ସୀମିତ ରହୁଛି ନା ଏହାର ପ୍ରଭାବ ପ୍ରତ୍ୟେକ ଶ୍ରେଣୀଗୃହରେ ଦେଖିବାକୁ ମିଳୁଛି।


Spread the love

Leave a Reply

Your email address will not be published. Required fields are marked *