ହାତୀ ଆକ୍ରମଣରେ ୪୪ ବର୍ଷୀୟ ଗ୍ରାମବାସୀଙ୍କ ମୃତ୍ୟୁ !ମୃତକଙ୍କ ପରିବାରକୁ କ୍ଷତିପୂରଣ ଘୋଷଣା କଲା ବନ ବିଭାଗ।

Spread the love

ସୁନ୍ଦରଗଡ଼: ବିଶ୍ରା : ୨୮/୧୧

ସୁନ୍ଦରଗଡ଼ ଜିଲ୍ଲାରେ ଜଙ୍ଗଲୀ ହାତୀର ଆକ୍ରମଣରେ ଆଉ ଜଣେ ଗ୍ରାମବାସୀଙ୍କ ଜୀବନ ଯାଇଛି। ଖୁଣ୍ଟଗାଁ ଅଞ୍ଚଳରେ ଶନିବାର ସକାଳେ ଏହି ଅଭାବନୀୟ ଘଟଣା ଘଟିଛି। ମୃତକ ହେଉଛନ୍ତି କରେକଟ୍ଟା (ଗିରଜାଟୋଲି) ଗ୍ରାମର ୪୪ ବର୍ଷୀୟ ଫ୍ରାନ୍ସିସ କୁଲ୍ଲୁ। ତେବେ ଘଟଣା ପରେ ଅଞ୍ଚଳରେ ଭୟ ଓ ଶୋକର ବାତାବରଣ ଖେଳିଯାଇଛି।

ସୂଚନା ଅନୁଯାୟୀ, ଶନିବାର ନଭେମ୍ବର ୨୮ ତାରିଖ ସକାଳ ପ୍ରାୟ ୭ଟା ସମୟରେ ଫ୍ରାନ୍ସିସ କୁଲ୍ଲୁ ଚାଷ ଜମିରେ କାମ କରିବା ପାଇଁ ଘରୁ ବାହାରିଥିଲେ। ତେବେ ରାସ୍ତାରେ ହଠାତ୍ ଏକ ଜଙ୍ଗଲୀ ହାତୀ ସହ ତାଙ୍କର ସାମ୍ନାସାମ୍ନି ହୋଇଥିଲା। ଆଉ କିଛି ବୁଝିବା ପୂର୍ବରୁ ହାତୀଟି ତାଙ୍କୁ ଆକ୍ରମଣ କରିଥିଲା। ଫଳରେ ଘଟଣାସ୍ଥଳରେ ହିଁ ଫ୍ରାନ୍ସିସଙ୍କ ମୃତ୍ୟୁ ହୋଇଥିଲା।

ଖବର ପାଇ ତୁରନ୍ତ ବନ ବିଭାଗର ଅଧିକାରୀ ଓ ସ୍ଥାନୀୟ ଜନପ୍ରତିନିଧି ଘଟଣାସ୍ଥଳରେ ପହଞ୍ଚିଥିଲେ। ଫରେଷ୍ଟ ଗାର୍ଡ ଭବାନୀ ଶଙ୍କର ସାହୁ, ଫରେଷ୍ଟର ପଲସ୍ ଓରାମ ଏବଂ ଖୁଣ୍ଟଗାଁ ସରପଞ୍ଚ ସୁମିତ୍ରା ଓରାମଙ୍କ ଉପସ୍ଥିତିରେ ମୃତକଙ୍କ ପରିବାରକୁ ସରକାରୀ ସହାୟତା ଯୋଗାଇବା ପ୍ରକ୍ରିୟା ଆରମ୍ଭ ହୋଇଛି।

ବନ ବିଭାଗ ପକ୍ଷରୁ ସରକାରୀ ନିୟମ ଅନୁଯାୟୀ, ଶବ ସତ୍କାର ପାଇଁ ପରିବାରକୁ ତୁରନ୍ତ ୨୦ ହଜାର ଟଙ୍କା ଅଗ୍ରିମ ସହାୟତା ଦିଆଯିବ। ପୋଷ୍ଟମର୍ଟମ ରିପୋର୍ଟ ମିଳିବା ପରେ ଆଉ ଏକ ଲକ୍ଷ ଟଙ୍କା ଅନୁକମ୍ପାମୂଳକ ସହାୟତା ଦିଆଯିବ। ଏହା ସହ ମୃତ୍ୟୁ ପ୍ରମାଣପତ୍ର ଓ ଆଇନଗତ ଉତ୍ତରାଧିକାରୀ ପ୍ରମାଣପତ୍ର ସମେତ ଆବଶ୍ୟକୀୟ କାଗଜପତ୍ର ଦାଖଲ ପରେ ଅବଶିଷ୍ଟ ୯ ଲକ୍ଷ ଟଙ୍କା ଦ୍ୱିତୀୟ କିସ୍ତିରେ ପ୍ରଦାନ କରାଯିବ।

ଅନ୍ୟପଟେ ହାତୀ ଆକ୍ରମଣରେ ଜଣେ ଗ୍ରାମବାସୀଙ୍କ ଜୀବନ ଯିବା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।


Spread the love

Leave a Reply

Your email address will not be published. Required fields are marked *